ଘରବାହୁଡ଼ା ପାଇଁ ନିବେଦନ
ଆସହେ ଆସହେ ଭାଇଭଉଣୀଏ
ନ ଛପି ଗହନ ବନେ
ଘୂରିବୁଲୁଛି ସେ କରୋନା ରାକ୍ଷସୀ
ନରସଂହାର ସନ୍ଧାନେ ।
ମାଆ କାନ୍ଦୁଅଛି ବାହୁନି ବାହୁନି
ବାପାଙ୍କୁ ନ ମିଳେ ରାହା
ରାକ୍ଷସୀର ଯେବେ କୁଦୃଷ୍ଟି ପଡ଼ିବ
କିଏ ହବ ବନେ ସାହା ?
ଦଶନ୍ଧି ଦଶନ୍ଧି କେଉଁ ଗୁମ୍ଫା ସନ୍ଧି
ଖାତ କୋରଡ଼ ଆବୋରି
ଶାସକ ବନାମେ ଲୁଚକାଳି ଖେଳ
ତା’ ସଙ୍ଗେ ରକ୍ତର ହୋରି ।
ଗୁଳିଗୋଳା ତଥା ବନ୍ଧୁକର ଖେଳ
ସଭିଁଙ୍କୁ ପଡ଼ୁଛି ଭାରୀ
ଆଜି ଏ ଶିବିର ଢାଳେ
ନେତ୍ରୁ ନୀର
କାଲିକି ଅନ୍ୟର ବାରି ।
ଆମ ଅର୍ଥନୀତି ପାଇଁ ଆଣେ କ୍ଷତି
ଚାଇନାର ଷଡ଼ଯନ୍ତ୍ର
ସୀମାକୁ ଲଂଘିବା ପାଇଁ ତା’ ସେନାକୁ
ଫୁଙ୍କୁଅଛି କେତେ ମନ୍ତ୍ର ।
ଏହି ଚାଇନାର ମାଓ ଆଦର୍ଶରେ
ହୋଇଣ ଅତି ଆକୃଷ୍ଟ
ସମର ମନାସି ହେଲ ବନବାସୀ
ସହି କେତେ ଦୁଃଖକଷ୍ଟ ।
ସେହି ଚାଇନାରୁ ଅଇଲା ରାକ୍ଷସୀ
କଣ୍ଟାକୃତି ରୂପ ଧରି
କେ ବୋଲେ ହୃଦୟ ଭେଦି ସଂହାରଇ
କିଏ ଡାକେ ହରି ହରି ।
ଶୋଚେ କି ରାକ୍ଷସୀ ତୁମ୍ଭେ ବନବାସୀ
ଚାଇନା ଆଦର୍ଶେ ଗଢ଼ା ?
ଯାଚେ ସେ ମରଣ ଶିବିରେ ପସିଣ
ଏହି ଆଦର୍ଶ କି ଲୋଡ଼ା ?
ହିଂସା ପରିହାରୀ ବନ୍ଧୁକ ପାସୋରି
ମୁଖ୍ୟସ୍ରୋତେ ହୁଅ ଛିଡ଼ା
ହସିବ ଭାରତ ହୋଇ କୃତକୃତ୍ୟ
ଚାଇନା ମୁଖେ ଚାପୁଡ଼ା ।
ବନ୍ଧୁକ ମୁନରୁ ଶାନ୍ତିର ପଥ ଯେ
ସହସ୍ର ଗୁଣେ ଉତ୍କର୍ଷ
ଅହିଂସା ଉପାୟେ ମୁକତି ପାଇଲା
ଏଇଯେ ଭାରତ ବର୍ଷ ।
ଲେଉଟା ମୁହୂର୍ତ୍ତ ହେଲା ଉପଗତ
ରାକ୍ଷସୀ ଦେଲା ସଂକେତ
ପ୍ରଶାସନ ଦିଏ ଧରମ ଡାକରା
କରି ପଥ କୁସୁମିତ ।
ଅଧିକାର ପାଇଁ ଲଢ଼େଇ କରିବା
ଥିଲେ ସିନା ପ୍ରାଣବାୟୁ
ବାହୁଡ଼ି ଆସହେ ଭାଇଭଉଣୀଏ
ନ କରି ବିଳମ୍ବ ଆଉ ।
© Dr.
P. K. Mishra – Subarnapur, Odisha –
What a great poem Sir
ReplyDeleteToo good
Excellent poem sir .
ReplyDelete