Saturday, 15 May 2021

ଘରବାହୁଡ଼ା ପାଇଁ ନିବେଦନ

ଘରବାହୁଡ଼ା ପାଇଁ ନିବେଦନ

 

ଆସହେ ଆସହେ        ଭାଇଭଉଣୀଏ

ନ ଛପି ଗହନ ବନେ

ଘୂରିବୁଲୁଛି ସେ       କରୋନା ରାକ୍ଷସୀ

ନରସଂହାର ସନ୍ଧାନେ ।

 

ମାଆ କାନ୍ଦୁଅଛି          ବାହୁନି ବାହୁନି

ବାପାଙ୍କୁ ନ ମିଳେ ରାହା

ରାକ୍ଷସୀର ଯେବେ      କୁଦୃଷ୍ଟି ପଡ଼ିବ

କିଏ ହବ ବନେ ସାହା ?

 

ଦଶନ୍ଧି ଦଶନ୍ଧି        କେଉଁ ଗୁମ୍ଫା ସନ୍ଧି

ଖାତ କୋରଡ଼ ଆବୋରି

ଶାସକ ବନାମେ ଲୁଚକାଳି ଖେଳ

ତା ସଙ୍ଗେ ରକ୍ତର ହୋରି ।

 

ଗୁଳିଗୋଳା ତଥା          ବନ୍ଧୁକର ଖେଳ

ସଭିଁଙ୍କୁ ପଡ଼ୁଛି ଭାରୀ

ଆଜି ଏ ଶିବିର        ଢାଳେ ନେତ୍ରୁ ନୀର

କାଲିକି ଅନ୍ୟର ବାରି ।

 

ଆମ ଅର୍ଥନୀତି      ପାଇଁ ଆଣେ କ୍ଷତି

ଚାଇନାର ଷଡ଼ଯନ୍ତ୍ର

ସୀମାକୁ ଲଂଘିବା     ପାଇଁ ତା ସେନାକୁ

ଫୁଙ୍କୁଅଛି କେତେ ମନ୍ତ୍ର ।

 

ଏହି ଚାଇନାର      ମାଓ ଆଦର୍ଶରେ

ହୋଇଣ ଅତି ଆକୃଷ୍ଟ

ସମର ମନାସି      ହେଲ ବନବାସୀ

ସହି କେତେ ଦୁଃଖକଷ୍ଟ ।

 

ସେହି ଚାଇନାରୁ      ଅଇଲା ରାକ୍ଷସୀ

କଣ୍ଟାକୃତି ରୂପ ଧରି

କେ ବୋଲେ ହୃଦୟ      ଭେଦି ସଂହାରଇ

କିଏ ଡାକେ ହରି ହରି ।

 

ଶୋଚେ କି ରାକ୍ଷସୀ      ତୁମ୍ଭେ ବନବାସୀ

ଚାଇନା ଆଦର୍ଶେ ଗଢ଼ା ?

ଯାଚେ ସେ ମରଣ      ଶିବିରେ ପସିଣ

ଏହି ଆଦର୍ଶ କି ଲୋଡ଼ା ?

 

ହିଂସା ପରିହାରୀ      ବନ୍ଧୁକ ପାସୋରି

ମୁଖ୍ୟସ୍ରୋତେ ହୁଅ ଛିଡ଼ା

ହସିବ ଭାରତ      ହୋଇ କୃତକୃତ୍ୟ

ଚାଇନା ମୁଖେ ଚାପୁଡ଼ା ।

 

ବନ୍ଧୁକ ମୁନରୁ      ଶାନ୍ତିର ପଥ ଯେ

ସହସ୍ର ଗୁଣେ ଉତ୍କର୍ଷ

ଅହିଂସା ଉପାୟେ      ମୁକତି ପାଇଲା

ଏଇଯେ ଭାରତ ବର୍ଷ ।

 

ଲେଉଟା ମୁହୂର୍ତ୍ତ      ହେଲା ଉପଗତ

ରାକ୍ଷସୀ ଦେଲା ସଂକେତ

ପ୍ରଶାସନ ଦିଏ      ଧରମ ଡାକରା

କରି ପଥ କୁସୁମିତ ।

 

ଅଧିକାର ପାଇଁ      ଲଢ଼େଇ କରିବା

ଥିଲେ ସିନା ପ୍ରାଣବାୟୁ

ବାହୁଡ଼ି ଆସହେ      ଭାଇଭଉଣୀଏ

ନ କରି ବିଳମ୍ବ ଆଉ ।

 

© Dr. P. K. MishraSubarnapur, Odisha – 15th May, 2021


2 comments: